ଅକ୍ଷର ପଟେଲ୍ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଲଢୁଆ ଅର୍ଦ୍ଧଶତକୀୟ ଇନିଂସ ବୃଥା । ପୁଣେରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ରେ ଶ୍ରୀଲଙ୍କା ରୋମାଞ୍ଚକର ଏବଂ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ଭାରତକୁ ୧୬ ରନରେ ପରାସ୍ତ କରିଛି । ଶ୍ରୀଲଙ୍କାର ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ବରାବର ସ୍ଥିତିରେ ରହିଛି । ଶ୍ରୀଲଙ୍କା ଦ୍ଵାରା ଧାର୍ଯ୍ୟ ୨୦୭ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୯୦ ରନରେ ସୀମିତ ରହିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକାଙ୍କ ବିସ୍ଫୋରକ ୫୬ ରନ ଏବଂ କୁଶଲ ମେଣ୍ଡିସଙ୍କ ୫୨ ରନ ବଳରେ ୬ ଓ୍ଵିକେଟ୍ ହରାଇ ୨୦୬ ରନ କରିଥିଲେ । ଜବାବରେ ଭାରତ ଅକ୍ଷର ପଟେଲ୍ଙ୍କ ବିସ୍ଫୋରକ ୬୫ ରନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ୫୧ ରନ ଇନିଂସ ସତ୍ତ୍ଵେ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୯୦ କରିବାକୁ ସକ୍ଷମ ହୋଇଥିଲା । ସିରିଜ୍ ୧-୧ରେ ବରାବର ରହିବା ପରେ ଏବେ ନିର୍ଣ୍ଣାୟକ ମୁକାବିଲା ଜାନୁଆରୀ ୭ରେ ରାଜକୋଟ୍ରେ ଖେଳାଯିବ । ୨୦୭ ରନର ବିଶାଳ ଲକ୍ଷ୍ୟ ପିଛା କରିଥିବା ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା ।
ତେବେ ୫୭ ରନରେ ୫ ଓ୍ଵିକେଟ୍ ହରାଇ ସଙ୍କଟରେ ପଡିଥିଲା ଭାରତ । ତେବେ ସୂର୍ଯ୍ୟକୁମାର ଯାଦବ ଏବଂ ଅକ୍ଷର ପଟେଲ୍ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ । ବିଶେଷ କରି ଅକ୍ଷର ପଟେଲ୍ କ୍ରିଜ୍କୁ ଓହ୍ଲାଇବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଏହିକ୍ରମରେ ଅକ୍ଷର ପଟେଲ୍ ମାତ୍ର ୨୧ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଦୁଇ ବ୍ୟାଟସମ୍ୟାନ ଷଷ୍ଠ ଓ୍ଵିକେଟ୍ରେ ୯୧ ରନ ଯୋଡି ଭାରତର ବିଜୟ ଆଶା ଉଜ୍ଜୀବିତ ରଖିବା ସହ ମ୍ୟାଚ୍କୁ ସଂଘର୍ଷପୂର୍ଣ୍ଣ କରାଇଥିଲେ । ତେବେ ୧୪୮ ରନର ସ୍କୋରରେ ସୂର୍ଯ୍ୟକୁମାର ଯାଦବ ଆଉଟ୍ ହେବା ଭାରତକୁ ଶକ୍ତ ଧକ୍କା ଲାଗିଥିଲା ।

ସେଟ୍ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ୩୬ ବଲ୍ରୁ ୩ ଚୌକା ଏବଂ ୩ ଛକା ସହ ୫୧ ରନରେ ଆଉଟ୍ ହୋଇଥିଲେ । ଏଥିସହ ଭାରତର ବିଜୟ ଆଶା ମଉଳିଥିଲା । ଅକ୍ଷର ପଟେଲ୍ ଶେଷ ଓଭର ପର୍ଯ୍ୟନ୍ତ ଲଢିଥିଲେ ହେଁ ଭାରତକୁ ପରାଜୟରୁ ବଞ୍ଚାଇ ପାରିନଥିଲେ । ଶିବମ ମାଭି ୧୫ ବଲ୍ରୁ ୨୬ ରନ କରିଥିଲେ । ୨୦ତମ ଓଭରରେ ଅକ୍ଷର ପଟେଲ୍ ୩୧ ବଲ୍ରୁ ୩ ଚୌକା ଏବଂ ୬ ଛକା ସହ ୬୫ ରନ କରି ପାଭିଲିୟନ ଫେରିଥିଲେ । ଶେଷରେ ଭାରତ ନିର୍ଦ୍ଧାରିତ ଓଭରରେ ଭାରତ ୮ ଓ୍ଵିକେଟ୍ ହରାଇ ୧୯୦ ରନ କରିପାରିଥିଲା