ଏସୀୟ କ୍ରିକେଟ୍ ପରିଷଦ ଗୁରୁବାର ୨୦୨୩-୨୪ ପାଇଁ କ୍ରିକେଟ୍ କ୍ୟାଲେଣ୍ଡର ସାର୍ବଜନୀନ କରିଛି । ଏସିସି ସଭାପତି ଜୟ ଶାହା ଏହାକୁ ଟ୍ୱିଟରରେ ସେୟାର କରିଛନ୍ତି । ଏସିସି କ୍ୟାଲେଣ୍ଡର ଅନୁଯାୟୀ ପୁରୁଷ ଏସିଆ କପ୍ ୨୦୨୩ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ । ଏଥର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ରହିଛନ୍ତି । ଦିନିକିଆ ବିଶ୍ୱକପ୍ ୨୦୨୩କୁ ଦୃଷ୍ଟିରେ ରଖି ଏଥର ଏସିଆ କପ୍ ୫୦ ଓଭର ଫର୍ମାଟରେ ଖେଳାଯିବ । ଗତଥର ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯାଇଥିଲା । ତେବେ ଏଥର ଏସିଆ କପ୍ ସଂସ୍କରଣର ଭେନ୍ୟୁ ଓ ବିସ୍ତୃତ କାର୍ଯ୍ୟସୂଚୀ ଘୋଷଣା କରାଯାଇ ନାହିଁ । ସୂଚନାଯୋଗ୍ୟ ଯେ, ଏଥର ଏସିଆ କପ୍ ପାକିସ୍ତାନରେ ହେବାର ଥିଲା ।

ଏସିଆ କପକୁ ନେଇ ବିସିସିଆଇ ସମ୍ପାଦକ ଜୟ ଶାହ କିଛି ମାସ ତଳେ କହିଥିଲେ ଯେ ଏସିଆ କପ୍ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବନାହିଁ ।ଏହି ବହୁରାଷ୍ଟ୍ରୀୟ ଟ୍ରଫି ଏକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ ବୋଲି ସେ କହିଥିଲେ । ଶାହାଙ୍କ ଏପରି ମନ୍ତବ୍ୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା । ଏପରିକି ଭାରତରେ ହେବାକୁ ଥିବା ୨୦୨୩ ବିଶ୍ବକପରୁ ଓହରିବାକୁ ପିସିବି ଧମକ ମଧ୍ଯ ଦେଇଥିଲା ।
ଇତି ମଧ୍ୟରେ ପିସିସି ନେତୃତ୍ବ ବଦଳି ଯାଇଛି । ରମିଜ ରାଜା ପିସିବିରୁ ବିତାଡିତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ନଜାମ ସେଠୀ ଅଧ୍ୟକ୍ଷ ହୋଇଛନ୍ତି । ପିସିବି କମାଣ ସମ୍ଭାଳିବା ପରେ ସେଠୀ କହିଥିଲେ ବିଶ୍ବକପ୍ ପାଇଁ ପାକିସ୍ତାନ ଦଳ ଭାରତ ଯିବ କି ନାହିଁ ତାହା ସରକାର ନିଷ୍ପତ୍ତି ନେବେ । ଏସିଆ କପ୍ ୨୦୨୩ରେ ମୋଟ ୧୩ଟି ମ୍ୟାଚ୍ ଖେଳାଯିବ । ଜୟ ଶାହାଙ୍କ ଟୁଇଟ୍ ଅନୁଯାୟୀ ସେପ୍ଟେମ୍ବରରେ ହେବାକୁ ଥିବା ଏସିଆ କପ୍ ୬ଟି ଦଳକୁ ନେଇ ଅନୁଷ୍ଠିତ ହେବ ।

ଏହି ୬ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ । ଭାରତ, ପାକିସ୍ତାନ ଏବଂ ଏକ କ୍ୱାଲିଫାୟର ଦଳ ଗୋଟିଏ ଦଳରେ ରହିଛନ୍ତି । ଅନ୍ୟ ଗ୍ରୁପରେ ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ଅଛନ୍ତି । ଲିଗ୍ ପର୍ଯ୍ୟାୟରେ ମୋଟ ୬ଟି ମ୍ୟାଚ୍ ହେବ । ଲିଗ୍ ପର୍ଯ୍ୟାୟରୁ ପ୍ରତି ଗ୍ରୁପର ଶ୍ରେଷ୍ଠ ଦୁଇଟି ଦଳ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବେ । ଏହାପରେ ସୁପର-୪ ରାଉଣ୍ଡ ରାଉଣ୍ଡ ରବିନ୍ ଫର୍ମାଟରେ ଖଳାଯିବ । ଏଥିରେ ୪ଟି ଦଳ ମଧ୍ୟରେ ମୋଟ ୬ଟି ମ୍ୟାଚ୍ ହେବ । ସୁପର-୪ ରାଉଣ୍ଡର ଟପ୍ ଦୁଇ ଟିମ୍ ମଧ୍ୟରେ ଫାଇନାଲ ଖେଳାଯିବ ।