ଆସନ୍ତା ୧୩ତାରିଖରୁ ଓଡ଼ିଶାରେ ବିଶ୍ୱକପ୍ ହକି ମ୍ୟାଚ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଜି ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ସୂଚନାଯୋଗ୍ୟ ୨୬୧ କୋଟି ଟଙ୍କା ବ୍ୟୟରେ ମାତ୍ର ୧୫ମାସ ମଧ୍ୟରେ ଏହି ଷ୍ଟାଡ଼ିୟମ ନିର୍ମାଣ ହୋଇଛି । ଏଠାରେ ହକି ଖେଳାଳି ଓ କର୍ମକର୍ତ୍ତା ରହିବା ନିମନ୍ତେ ମଧ୍ୟ ୨୨୫ଟି ରୁମ୍ ବିଶିଷ୍ଟ ଅତ୍ୟାଧୁନିକ ପଂଚତାରକା ହୋଟେଲ ସୁବିଧାଯୁକ୍ତ ବିଶ୍ୱକପ୍ ଭିଲେଜ ନିର୍ମାଣ ହୋଇଛି ।
ଏବେ ବିଶ୍ୱ ଦେଖିବ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ଏହି ବିର୍ସାମୁଣ୍ଡା ହକି ଷ୍ଟାଡିୟମକୁ । ଆଉ ଏବେଠାରୁ ବିଶ୍ୱକପ ମ୍ୟାଚ ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଓ ରାଉରକେଲା ଚମକୁଛି । ଉଦଘାଟିତ ହୋଇଥିବା ଷ୍ଟାଡିୟମ ବି ଆଲୋକ ମାଳାରେ ଝଲସୁଛି । ଷ୍ଟାଡିୟମକୁ ଉଦଘାଟନ କରି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ହକିକୁ ଭଲ ପାଉଥିବା ସମସ୍ତ ଲୋକଙ୍କୁ ଏହି ଷ୍ଟାଡିୟମ ଉତ୍ସର୍ଗ । ଷ୍ଟାଡିୟମରେ ୨୦ ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ଥିବା ବେଳେ ଅତ୍ୟାଧୁନିକ ଓ ସର୍ବୋତ୍ତମ ବ୍ୟବସ୍ଥା ହୋଇଛି ।ଏହାକୁ ନେଇ ସରକାର ଦାବି କରିଛନ୍ତି, ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ ହେଉଛି ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ।

ତେବେ ହକି ଷ୍ଟାଡିୟମକୁ ଉଦଘାଟନ କରିବା ସହ ହକି ବିଶ୍ୱକପ ମାସ୍କଟ ଓଲି ସହ କିଛି ସମୟ ବିତାଇଥିଲେ ନବୀନ ପଟ୍ଟନାୟକ । ଏହାସହ ଭାରତୀୟ ହକି ଖେଳାଳିଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭାରତ ବିଶ୍ୱକପ ଜିତିଲେ ପ୍ରତ୍ୟେକ ଖେଳାଳିଙ୍କୁ ଏକ କୋଟି ଟଙ୍କାର ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ରାଜ୍ୟ ସରକାର ଖେଳାଳୀଙ୍କୁ ଏହି ଅର୍ଥ ପ୍ରଦାନ କରିବେ । ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଳୀଙ୍କୁ ଭେଟିବା ଅବସରରେ ନବୀନ ଏହି ଘୋଷଣା କରିଛନ୍ତି । ମ୍ରୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିର୍ସାମୁଣ୍ଡା ଷ୍ଟାଡିୟମ ବୁଲି ଦେଖିଛନ୍ତି ।
ପରେ ବିଶ୍ୱକପ ଗ୍ରାମର ଶୁଭ ଉଦଘାଟନ କରି ଭାରତୀୟ ହକି ଖେଳାଳିଙ୍କୁ ଭେଟିବା ସହ କଥା ହୋଇଛନ୍ତି ଓ ଫଟୋ ଉଠାଇଛନ୍ତି । ତେବେ ଆଗାମୀ ଜାନୁଆରୀ ୧୩ରୁ ୨୯ ଯାଏ ଭୁବନେଶ୍ୱର ଏବଂ ରାଉରକେଲାରେ ମିଳିତ ଭାବେ ବିଶ୍ୱକପ ଖେଳାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହାସହ ବିଭିନ୍ନ ଦେଶର ଖେଳାଳୀ ଭୁବନେଶ୍ୱରରେ ପହଞ୍ଚିବା ଆରମ୍ଭ କରିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଟିମର ଖେଳାଳି ମାନେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି